ODISHAFLASH
କରୋନା ମୁକାବିଲା ପାଇଁ ; ନିଜର ଦୁଇ ବର୍ଷର ଦରମା ଦେବାକୁ ଘୋଷଣା କଲେ ଗମ୍ଭୀର:-

Odisha flash bhubaneswar; ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ପୂର୍ବରୁ ଅନେକ ସିନେ ଓ କ୍ରିକେଟ୍ ତାରକା ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଲକ୍ଷ ଲକ୍ଷ ଟଙ୍କା ଦେଇ ସାରିଥିବା ବେଳେ ପୂର୍ବତନ କ୍ରିକେଟର ତଥା ରାଜନେତା ଗୌତମ ଗମ୍ଭୀର ତାଙ୍କ ୨ ବର୍ଷର ଦରମା ଦାନ କରିବେ ବୋଲି ଘୋଷଣା କରିଛନ୍ତି। ଖେଳାଳି ତଥା ପୂର୍ବ ଦିଲ୍ଲୀର ଏହି ସାଂସଦ ନିଜର ଏହି ସହାୟତା ରାଶି ସଂପର୍କରେ ତାଙ୍କ ଅଫିସିଆଲ୍ ଟ୍ବିଟର୍ ଆକାଉଣ୍ଟ୍ରେ ଘୋଷଣା କରିଛନ୍ତି।
ସେ ଟ୍ବିଟ୍ କରି ଲେଖିଛନ୍ତି, ‘ଲୋକମାନେ ପଚାରନ୍ତି ଦେଶ ତାଙ୍କ ପାଇଁ କ’ଣ କରିଛି। ମାତ୍ର ବାସ୍ତବ ପ୍ରଶ୍ନ ହେଉଛି ତୁମେ ତୁମ ଦେଶ ପାଇଁ କ’ଣ କରିପାରିବ? ମୁଁ ମୋର ଦୁଇ ବର୍ଷର ଦରମା ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କରୁଛି। ତମେମାନେ ବି ଆଗେଇ ଆସ।’ ସେ ତାଙ୍କ ପୋଷ୍ଟ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ବିଜେପିଦିଲ୍ଲୀ ଏବଂ କରୋନାଭାଇରସ୍ ଟ୍ୟାଗ୍ ଦେଇଛନ୍ତି।’
ପୂର୍ବରୁ କ୍ରିକେଟର୍ ବିରାଟ କୋହଲି ଓ ତାଙ୍କ ପତ୍ନୀ ଅନୁଷ୍କା ଶର୍ମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରିଲିଫ୍ ପାଣ୍ଠିକୁ ସହାୟତା ଦେବେ ବୋଲି ପ୍ରକାଶ କରି ସାରିଛନ୍ତି। କ୍ରିକେଟର୍ ସଚିନ ତେନ୍ଦୁଲ୍କର ୫୦ ଲକ୍ଷ ଟଙ୍କା ଦେଇ ସାରିଛନ୍ତି।
ସାରା ବିଶ୍ବରେ କରୋନା ଆତଙ୍କ ଛାଇ ରହିଥିବା ବେଳେ ଦେଶର ଅନେକ ପ୍ରଭାବଶାଳୀ ବ୍ୟକ୍ତି ଦେଶ ପାଇଁ ନିଜ ନିଜର ସହାୟତାର ହାତ ବଢ଼ାଇ ସାରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ମହାମାରୀ ଭାଇରସ୍କୁ ରୋକିବା ପାଇଁ ଏପ୍ରିଲ୍ ୧୫ ତାରିଖ ପର୍ଯ୍ୟନ୍ତ ଦେଶରେ ୨୧ ଦିନିଆ ଲକ୍ଡାଉନ୍ ଘୋଷଣା କରିଛନ୍ତି।
To Top