
ଓଡ଼ିଆ ଖାଦ୍ୟ ଖୁଆଇ ଜଜ୍ଙ୍କ ମନଜିତିଲେ ବ୍ରହ୍ମପୁର ଆସ୍କାର ଅବିନାଶ ନାୟକ। ସେ ଖୁବ୍ କମ୍ ସମୟରେ ଏକ ସୁସ୍ୱାଦୁ ଓଡ଼ିଆ ଖାଦ୍ୟ ତିଆରି କରି ଜଜ୍ମାନଙ୍କୁ ଇମ୍ପ୍ରେସ୍ କରିପାରିଥିଲେ। ଫଳରେ ସେ ଷ୍ଟାର ପ୍ଲସ୍ରେ ଚାଲୁଥିବା ‘ମାଷ୍ଟ୍ରର ଚିଫ୍ ଇଣ୍ଡିଆ’ ପ୍ରତିଯୋଗିତାର କ୍ୱାଲିଫାଇଂ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଅବିନାଶଙ୍କର ଏହି ସଫଳତା ପରେ ସୋଶାଲ୍ ମିଡିଆରେ ଚର୍ଚ୍ଚା ଥମିବାରେ ନାଁ ନେଉ ନାହିଁ।
ଏକ ମଲ୍ଟି ନ୍ୟାସନାଲ୍ କମ୍ପାନୀରେ କାର୍ଯ୍ୟରତ ଅବିନାଶ ଏହି ରିୟାଲିଟି ଶୋ’ରେ ପ୍ରବେଶ କରିବା ପାଇଁ ଜଜ୍ଙ୍କୁ ଓଡ଼ିଆ ବ୍ୟଞ୍ଜନ ‘ଚିକେନ୍ ବେସର’ ରାନ୍ଧି ଖୁଆଇଥିଲେ। ଖୁବ୍ କମ୍ ସମୟରେ ସେ ଏହି ବ୍ୟଞ୍ଜନ ତିଆରି କରି ସେଲେବ୍ରେଟି ସେଫ୍ ବିକାଶ ଖାନ୍ନା, ରଣବୀର ବ୍ରାର୍, ଭିନୀତି ଭାଟିଆଙ୍କୁ ପରଶିଥିଲେ।
ଅବିନାଶଙ୍କ ହାତ ତିଆରି ଚିକେନ ବେଶର ଖାଇବା ପରେ ବିଚାରକମାନେ ଖୁସି ହେବା ସହିତ ଜଜ୍ ରଣବୀର ବ୍ରାର ତାଙ୍କୁ ‘ମାଷ୍ଟର୍ ଚିଫ୍ ଭୟା ୱେଲ୍କମ୍’ କହି ଜୋର୍ସୋର୍ରେ ସ୍ୱାଗତ କରିଥିଲେ। ସଙ୍ଗେ ସଙ୍ଗେ ଅବିନାଶଙ୍କୁ କ୍ୱାଲିପାଇଂ ମାଷ୍ଟର୍ ସେଫ୍ ଆପ୍ରୋନ୍ ଦିଆଯାଇଥିଲା। ଯାହାକୁ ହାସଲ କରିବା ପରେ ଖୁସିରେ କାନ୍ଦି ପକାଇଥିଲେ ୨୭ ବର୍ଷୀୟ ଅବିନାଶ। ଏହାପରେ ଜଜ୍ମାନେ ଅବିନାଶଙ୍କଠାରୁ ‘ଚିକେନ୍ ବେସର’ର ପ୍ରସ୍ତୁତି ପ୍ରଣାଳୀ ଜାଣିବାକୁ ପାଇଥିଲେ। ଖୁବ୍ କମ ସମୟ ମଧ୍ୟରେ ଏତେ ସୁନ୍ଦର ଖାଦ୍ୟ ତିଆରି କରିପାରିଥିବାରୁ ସବୁ ଜଜ୍ ଅବିନାଶଙ୍କୁ କୁଣ୍ଢାଇ ପକାଇଲେ। ସେଫ୍ ଜଜ୍ ବିକାଶ ଖାନ୍ନା ‘ଜୟ ହୋ ଓଡ଼ିଶା’ର ନାରା ଦେଇଥିଲେ।
